Monday 11 December 2017

ସାମନ୍ତ ସ୍ମରଣେ - ୩


ସାମନ୍ତ ସ୍ମରଣେ - ୩
(ଅନ୍ଧାରୀ ମୁଲକରେ ଆଲୋକ)
ଲେ: ଶ୍ରୀଯୁକ୍ତ କୁଳମଣି ଷଡ଼ଙ୍ଗୀ, ଖଣ୍ଡପଡା

ଖଣ୍ଡପଡାରେ ବହୁ ବିଦ୍ବାନ ଏବଂ ପଣ୍ଡିତ ମାନଙ୍କର ଆବିର୍ଭାବ ହୋଇଥିବରୁ ଏହା ବିଦ୍ୟାନଗରୀ ଭାବରେ ପ୍ରକ୍ଷାତ।କିନ୍ତୁ ବଣ,ପାହାଡ ଅଧ୍ୟୁଷିତ ଏହି ଗଡଜାତରେ ବହୁକାଳଧରି ଆଧୁନୀକ ଶିକ୍ଷାର ଆଲୋକର ଅଭାବ ତଥା ଭିତ୍ତିଭୂମି ଓ ଗମନାଗମନର ଘୋର ଅସୁବିଧା ଯୋଗୁ ଏହାର ଜନସାଧାରଣ ଅନ୍ୟ ଅନେକ ଗଡଜାତ ଭଳି ଅ ନ୍ଧକାର ଭିତରେ କାଳ ଯାପନ କରୁଥିଲେ।ଏଥିପାଇଁ ମୂଖ୍ୟତଃ ଗୋରା ସରକାରଙ୍କ ନିର୍ଦେଶରେ ପରିଚାଳିତ ରାଜତନ୍ତ୍ର ହିଁ ଦାୟୀ ଥିଲା।
ଏଭଳି ସମୟରେ ଏହି ଅନ୍ଧକାର ଗଡଜାତକୁ ଆଲୋକିତ କରି ସାମନ୍ତ ଚନ୍ଦ୍ରଶେଖର ବନ୍ଧୁ ସାମନ୍ତଙ୍କ ଗୃହ ମଣ୍ଡନ କରିଥିଲେ।
ରାଜା ନୃସିଂହ ଭ୍ରମରବରଙ୍କ ପଞ୍ଚମ ପୁତ୍ର ଶ୍ୟାମବନ୍ଧୁଙ୍କ ଉପରେ ରାଜଲକ୍ଷ୍ମୀଙ୍କର ଦୟା ନହେବା ସ୍ବାଭାବିକ ;ତେଣୁ ସରସ୍ବତୀଙ୍କର ଅସୀମ ଦୟାର ଅଧିକାରୀ ସେ ଥିଲେ।ସେ ସଂସ୍କୃତ କାବ୍ୟ,ନାଟକ,ଅଳଂକାର ଏବଂ ବ୍ୟାକରଣରେ ପାଣ୍ଡିତ୍ୟ ଲାଭ କରିଥିଲେ।ସେ ସମୟରେ ତାହାହିଁ ଥିଲା ଉଚ୍ଚଶିକ୍ଷାର ମାନଦଣ୍ଡ ।କାରଣ ସେ ସମୟରେ ଇଁରାଜୀ ବିଦ୍ୟାଳୟଟିଏ ମଧ୍ୟ ଖଣ୍ଡପଡା ଅନ୍ଚଳରେ ନଥିଲା।ଗଣିତଜ୍ୟୋତିଷ ପ୍ରତି ଆଗ୍ରହ ଥିଲେମଧ୍ୟ ଫଳିତ ଜ୍ୟୋତିଷଶାସ୍ତ୍ରପ୍ରତି ସେ ବିଶେଷ ଆକୃଷ୍ଟ ଥିଲେ।ଧରାକୋଟ ରାଜଭ୍ରାତା ପଦ୍ମନାଭ ସିଂହବର୍ମାଙ୍କର କନ୍ୟାରତ୍ନ ବିଷ୍ଣୁମାଳୀ ଦେବୀ ଶ୍ୟାମବନ୍ଧୁଙ୍କର ଧର୍ମପତ୍ନୀ ଥିଲେ।ଶ୍ୟାମବନ୍ଧୁଙ୍କର ନଅଟି କନ୍ୟା ଏବଂ ଦୁଇଟି ପୁତ୍ର ଜାତ ହୋଇଥିଲେ।କିନ୍ତୁ ଦୁଇଟି କନ୍ୟା ଓ ଗୋଟିଏ ପୁତ୍ରର ମୃତ୍ୟୁ ପରେ ଶ୍ୟାମବନ୍ଧୁ ଓ ବିଷ୍ଣୁମାଳୀ ପୁତ୍ରସନ୍ତାନଟିଏ ପାଇଁ ଅତ୍ୟନ୍ତ ବ୍ୟାକୁଳ ମନରେ ଖୁଣ୍ଟୁପଡାଗ୍ରାମସ୍ଥିତ ରାମେଶ୍ବର ମହାଦେବଙ୍କ ଶରଣାପନ୍ନହେଲେ।ପ୍ରଭୁ ଚନ୍ଦ୍ରଶେଖର ସାମନ୍ତ ଦମ୍ପତିଙ୍କର ମନୋକାମନା ପୂର୍ଣ୍ଣ କରିଥିଲେ ଏବଂ ପୁତ୍ରସନ୍ତାନଟିଏ ୧୮୩୫ ମସିହା ଡିସେମ୍ବର ୧୩ ତାରିଖରେ ସାମନ୍ତ ଦମ୍ପତିଙ୍କ କୋଳ ମଣ୍ଡନ କରିଥିଲେ।ପ୍ରଭୁ ଚନ୍ଦ୍ରଶେଖରଙ୍କ ଆଶୀର୍ବାଦରୁ ଜନ୍ମିତ ହୋଇଥିବାରୁ ସନ୍ତାନଟିର ନାମ ଚନ୍ଦ୍ରଶେଖର ରଖାଯାଇଥିଲା।
ସାମନ୍ତଙ୍କ ଜନ୍ମ ସମ୍ବନ୍ଧରେ ଏକ ସୁନ୍ଦର ଜନଶ୍ରୁତି ପରବର୍ତ୍ତି ଆଲେଖ୍ୟରେ ପରିବେଷିତ ହେବ।
କ୍ରମଶଃ........

ସାମନ୍ତ ସ୍ମରଣେ - ୨


ସାମନ୍ତ ସ୍ମରଣେ - ୨
(ସୂର୍ଯ୍ୟବଂଶୀ ଚନ୍ଦ୍ରଶେଖର)
ଲେ: ଶ୍ରୀଯୁକ୍ତ କୁଳମଣି ଷଡ଼ଙ୍ଗୀ, ଖଣ୍ଡପଡା

ମଧ୍ୟପ୍ରଦେଶରେ ରେଓ୍ବା ନାମରେ ଏକ ରାଜ୍ୟଥିଲା,ଯେଉଁଠାରେ ସୂର୍ଯ୍ୟବଂଶୀ ରାଜାମାନେ ରାଜତ୍ବ କରୁଥିଲେ।ସେମାନେ ବଘେଲ୍ ନାମରେ ମଧ୍ୟ ପରିଚିତ ଥିଲେ।ସେହି ବଘେଲ ବଂଶର ରାଜା ମୋହନ ରାଜସିଂହଙ୍କର ତିନୋଟି ପୁତ୍ର ଥିଲେ।ଜ୍ୟୋଷ୍ଠପୁତ୍ର ରାଜସିଂହାସନରେ ଅଭିଷିକ୍ତ ହେବାପରେ,ସାନ ଦୁଇଭାଇ ସୂର୍ଯ୍ୟମଣି ସିଂହ ଏବଂ ଚନ୍ଦ୍ରମଣି ସିଂହ ଅନ୍ୟସ୍ଥାନରେ ରାଜ୍ୟ ସ୍ଥାପନକରି ସୁଶାସନ ପ୍ରତିଷ୍ଠା କରିବା ଉଦ୍ଦ୍ୟେଶ୍ୟରେ ବାହାରି ପଡିଲେ।କାଳକ୍ରମେ ସେମାନେ ଓଡିଶାରେ ବାଣପୁର ରାଜାଙ୍କ ସହିତ ବଂଧୁତା ସ୍ଥାପନକରି ,ବଣ ପାହାଡ ଅଧ୍ୟୁଷିତ କେତେକ କ୍ଷୁଦ୍ରରାଜ୍ୟ ଜୟକରି ନୟାଗଡ ନିକଟରେ ରଳବ ନାମକ ଗଡ ସ୍ଥାପନ କରିଥିଲେ।ସୂର୍ଯ୍ୟମଣି ନବଦୁର୍ଗ ବା ନୟାଗଡ ରାଜ୍ୟ ପ୍ରତିଷ୍ଠା କରି ସାନଭାଇ ଚନ୍ଦ୍ରମଣି ଙ୍କୁ ଅଷ୍ଟଦୁର୍ଗ ବା ଆଠଗଡର ରାଜାଭାବରେ ପ୍ରତିଷ୍ଠିତ କଲେ।
ଏହି ସୂର୍ଯ୍ୟମଣି ସିଂହଙ୍କର ଦାୟାଦ ଯଦୁନାଥ ମଙ୍ଗରାଜ ୧୫୯୯ ମସିହାରେ ଖଣ୍ଡ ଖଣ୍ଡ ପଡାକୁ ଜୟକରି ଖଣ୍ଡପଡା ରାଜ୍ୟ ପ୍ରତିଷ୍ଠା କରିଥିଲେ।ସାମନ୍ତ ଚନ୍ଦ୍ରଶେଖର ଏହି ବଘେଲ୍ ବଂଶର ସପ୍ତମ ରାଜା ନୃସିଂହ ଭ୍ରମରବରଙ୍କର ପଞ୍ଚମ ପୁତ୍ର ଶ୍ୟାମବନ୍ଧୁ ସିଂହ ଙ୍କର ଏକମାତ୍ର ପୁତ୍ର ଥିଲେ।ପିତା ଶ୍ୟାମବନ୍ଧୁ ଦେବୋପମ ଚରିତ୍ରର ଅଧିକାରୀ ଥିଲେ।ଖଣ୍ଡପଡାରେ ଘରେ ଘରେ ସେ ବନ୍ଧୁସଆନ୍ତ ନାମରେ ପରିଚିତ ଥିଲେ।
ସାମନ୍ତ ଚନ୍ଦ୍ରଶେଖରଙ୍କ ଜ୍ୟେଷ୍ଠପୁତ୍ର କବି ପୀତବାସ ସିଂହସାମନ୍ତ ନିଜ କୁଳ ବିଷୟରେ ବର୍ଣନା କରିବାକୁଯାଇ ଲେଖିଛନ୍ତି-----
ଅନଘ ବଘେଲ କୁଳେ,ବେନିବୀର ଉପୁଜିଲେ
ସୂର୍ଯ୍ୟମଣି,ଚନ୍ଦ୍ରମଣି ସିଂହ ସେହି ଦୁର୍ଗଦରୀ ଆଚରିଲେ।
ଚଣ୍ଡିକା ଚିତ୍ତ ତୋଷିଲେ,ରାଜ ଆସନେ ବସିଲେ,
ପ୍ରଖର ଖଡଗ ନଖର ଆଘାତେ ବଇରୀ ବ୍ୟାଘ୍ର ନାଶିଲେ।
ସାନ ଗଲେ ଅଷ୍ଟଦୁର୍ଗ,ଆନ ଗଲେ ନବଦୁର୍ଗ,
ଗିରି ପାଚେରୀ ଘେରିବାରୁ ଅରୀରେ ଅତି ଦୁର୍ମମ ଯା ମାର୍ଗ।
ସେ ବଂଶେ ବହୁ ତନୂଜ,ମହାବଳ କୀର୍ତି ତେଜ,
ପହିଲେ ଖଣ୍ଡପତନରେ ରହିଲେ ଯଦୁନାଥ ମଙ୍ଗରାଜ।

କ୍ରମଶଃ-----------

                           ସାମନ୍ତ ସ୍ମରଣେ - ୧

                              (ସାମନ୍ତଙ୍କ କୃତିର ବିଶେଷତ୍ବ)
                          ଲେ: ଶ୍ରୀଯୁକ୍ତ କୁଳମଣି ଷଡ଼ଙ୍ଗୀ, ଖଣ୍ଡପଡା

ଥରେ ଜଣେ ବନ୍ଧୁ ମତେ ପ୍ରଶ୍ନକଲେ 'ସାମନ୍ତ ଚନ୍ଦ୍ରଶେଖର କଣ ଏମିତି କରିଯାଇଛନ୍ତି? ଯେତେବେଳେ ପୃଥିବୀ ସୂର୍ଯ୍ୟ ଚାରିପାଖେ ଘୂରିବାଟା ବିଜ୍ଞାନ ସମ୍ମତ ହେଲାଣି,ସେତେବେଳେ ପୃଥିବୀ ସ୍ଥିର ବୋଲି ସାମନ୍ତ ଚନ୍ଦ୍ରଶେଖର ଯୁକ୍ତି କରିବାର ମୂଲ୍ୟ କଣ ଅଛି?' ମୋର ଏହି ବନ୍ଧୁଙ୍କ ପରି ଅନ୍ୟ ଅନେକଙ୍କ ମନରେ ଏହି ପ୍ରଶ୍ନ ଉଠିବା ସ୍ବାଭାବିକ।

ଏଠାରେ କହିରଖିବା ପ୍ରାସଙ୍ଗିକ ହେବ ଯେ ସାମନ୍ତଙ୍କ ଗବେଷଣାର ମୂଳବସ୍ତୁ ପୃଥିବୀର ଗତି ସମ୍ବନ୍ଧରେ ନଥିଲା।
ଗ୍ରହ ନକ୍ଷତ୍ର ମାନଙ୍କ ଗତି ଓ ସ୍ଥିତିର ଦୃକ୍ ସିଦ୍ଧ ସିଦ୍ଧାନ୍ତ ସ୍ଥିର କରିବା ଅବସରରେ ସେ ଏପରି ଧାରଣାରେ ଉପନୀତ ହୋଇଥିଲେ। ତା ହେଲେ ଏ ଦୃକ୍ ସିଦ୍ଧ ସିଦ୍ଧାନ୍ତ କଣ?
ପ୍ରାଚୀନ କାଳରେ ଜ୍ୟୋତିର୍ବିଦ ମନିଷୀଗଣ ନିଜର ଗଣନା ଅନୁଯାୟୀ ବିଭିନ୍ନ ଗ୍ରହ,ନକ୍ଷତ୍ର ମାନଙ୍କର ଏବଂ ସୂର୍ଯ୍ୟ,ଚନ୍ଦ୍ରଙ୍କର ଗତି ଏବଂ ସ୍ଥିତି ନିରୂପଣ କରି ଯାଇଛନ୍ତି।

ପିତାଙ୍କଠାରୁ ଫଳିତ ଜ୍ୟୋତିଷରେ ସମ୍ୟକ ଜ୍ଞାନ ଆହରଣ କରିଥିବା ଚନ୍ଦ୍ରଶେଖର ପିଲାବେଳୁ ଗଣନାକରି ଜାଣି ପାରିଲେ ଯେ ସ୍ବଚକ୍ଷୁରେ ଗ୍ରହ, ନକ୍ଷତ୍ରଙ୍କ ଗତିଓ ସ୍ଥିତି ଅନୁଶୀଳନକରି ଯେଉଁ ଦୃକ୍ ସିଦ୍ଧ ସିଦ୍ଧାନ୍ତ ମିଳୁଛି, ତାହା ଅନ୍ୟାନ୍ୟ ଜ୍ୟୋତିର୍ବିଦ ମାନଙ୍କ ଗଣନାଠାରୁ ପୃଥକ। ଫଳରେ ପୂରାତନ ପଞ୍ଜିକାରେ ଥିବା ଦିନ, ଦଣ୍ଡ, ଲିତା ଆଦିରେ ପ୍ରଭେଦ ତଥା ଭୁଲ୍ ଦେଖାଯାଉଛି। ଫଳତଃ ପାଜ୍ଞି ଉପରେ ନିର୍ଭର କରୁଥିବା ହିନ୍ଦୁସମାଜର ବିବାହ,ବ୍ରତ,ତଥା ଅନ୍ୟାନ୍ୟ ପର୍ବ ପର୍ବାଣି ପାଳନରେ ଘୋର ବିଭ୍ରିଟ ପରିଲକ୍ଷିତ ହେଉଛି। ତେଣୁ ସାମନ୍ତ ଚନ୍ଦ୍ରଶେଖର ଘୋର ଅଧ୍ୟବସାୟ କରି,ରାତି,ରାତି ଅନିଦ୍ରାରହି ଦୁଇଖଣ୍ଡି ବାଉଁଶ କାଠି ସାହାଯ୍ୟରେ ସମସ୍ତ ଗ୍ରହ,ତାରା ମାନଙ୍କର ଗତି ଓ ସ୍ଥିତି ନିରୂପଣ କରି ଦୃକ୍ ସିଦ୍ଧ ସିଦ୍ଧାନ୍ତ ଅନୁଯାୟୀ ଦିନ,ଦଣ୍ଡ,ଲିତା ଆଦି ନୀର୍ଣୟ କରିଥିଲେ। ସେଥିପାଇଁ ତାଙ୍କପାଖରେ କୌଣସି ଯନ୍ତ୍ରପାତି ନଥିଲା। ଦୂରବୀ କ୍ଷଣ ଯନ୍ତ୍ରଟିଏ ମଧ୍ୟ ନଥିଲା। ପରବର୍ତି ସମୟରେ ରେଭେନ୍ଶା ମହାବିଦ୍ୟାଳୟର ଗଣିତ ଓ ବିଜ୍ଞାନ ଅଧ୍ୟାପକ ଯୋଗେଶ ରାୟଙ୍କ ପାଖରେ ଦୂରବୀକ୍ଷଣ ଯନ୍ତ୍ରଟିଏ ଦେଖି କହିଥିଲେ`ଆହା! ଆଗରୁ ହେଲେ ମୁଁ ଏମିତି ଯନ୍ତ୍ରଟିଏ ପାଇଥାନ୍ତି '।

ସାମନ୍ତ ଚନ୍ଦ୍ରଶେଖରଙ୍କର ଏହି ବିଶୁଦ୍ଧ ଗଣନାର ଫଳ ସ୍ବରୂପ
ଆଗାମୀ ହଜାର,ହଜାର ବର୍ଷପାଇଁ ବିଶୁଦ୍ଧ ପଞ୍ଜିକା ଗଣନା କରାଯାଇ ପାରୁଛି। ପ୍ରତି ଓଡିଆର ପ୍ରାଣକେନ୍ଦ୍ର ପ୍ରଭୁ ଜଗନ୍ନାଥଙ୍କର ସମସ୍ତ ନୀତି ନିୟମ ସାମନ୍ତଙ୍କର ଗଣନା ଅନୁଯାୟୀ ପ୍ରସ୍ତୁତ ପଞ୍ଜିକା ଦ୍ବାରା ନିରୂପିତ କରାଯାଇଥାଏ।
ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥରେ ପୃଥିବୀ ଚାରିପାଖରେ ସୂର୍ଯ୍ୟଙ୍କ ଘୂର୍ଣନକୁନେଇ ସାମନ୍ତ ଅକାଟ୍ୟ ଯୁକ୍ତି ପରିବେଷଣ କରିଛନ୍ତି।
ତାଙ୍କ ଯୁକ୍ତି ଅନୁଯାୟୀ ପୃଥିବୀ ଚାରିପାଖରେ ସୂର୍ଯ୍ୟ ଅନ୍ୟାନ୍ୟ
ଗ୍ରହ ସହିତ ଘୂର୍ଣନ କରୁଅଛି।

ସିଦ୍ଧାନ୍ତ ଦର୍ପଣ ଜ୍ୟୋତିର୍ବିଜ୍ଞାନର ଏକ ଶ୍ରେଷ୍ଠ ଗ୍ରନ୍ଥ ହେବା ସଙ୍ଗେ ସଙ୍ଗେ ସଂସ୍କୃତ ସାହିତ୍ୟର ଏକ ଅମୂଲ୍ୟ ମଣି ମଧ୍ୟ।
ଏ ଗ୍ରନ୍ଥରେ ସାମନ୍ତଙ୍କର ସଂସ୍କୃତ ସାହିତ୍ୟରେ ଅଗାଧ ପାଣ୍ଡିତ୍ୟର ପ୍ରତିଫଳନ ଦେଖିବାକୁ ମିଳେ। ତତ୍କାଳୀନ ଓଡିଶାରେ ସାମନ୍ତଙ୍କପରି ଆଉ କେହି ସଂସ୍କୃତ ପଣ୍ଡିତ ନଥିଲେ।
କ୍ରମଶଃ....